ବିନୋଦ କାନୁନଗୋ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପଦ୍ମଶ୍ରୀ ବିନୋଦ କାନୁନଗୋ
ଜନ୍ମ ୬ ଜୁନ ୧୯୧୨(1912-06-06)
ମଲୀପୁର, କିଶନନଗର, କଟକ
ତିରୋଧାନ ୨୨ ଜୁନ, ୧୯୯୦ (୭୮ ବର୍ଷ)
ବୃତ୍ତି ଲେଖକ, ସ୍ଵାଧୀନତା କର୍ମୀ
ଭାଷା ଓଡ଼ିଆ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ଦଶମ ଆରମ୍ଭରୁ ପାଠ ଛାଡ଼ିଥିଲେ
ଶିକ୍ଷାନୁଷ୍ଠାନ ରେଭେନ୍ସା କଲେଜିଏଟ ସ୍କୁଲ
ଆଖିଦୃଶିଆ କାମ ଜ୍ଞାନମଣ୍ଡଳ
ଋଣ ପରିଶୋଧ, ଛାତିକି ପଥର କରି
ପୁରସ୍କାର ପଦ୍ମଶ୍ରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥି ଶଶିବାଳା
ଜ୍ଞାତି କୁଟୁମ୍ବ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି (ମାମୁଁ)


ବିନୋଦ କାନୁନଗୋ (୧୯୧୨-୧୯୯୦) ଓଡ଼ିଶାର କଟକ ଜିଲ୍ଲାର କିଶନନଗର ଥାନାର ମଲିପୁରରେ ଜନ୍ମିତ ଜଣେ ସ୍ଵାଧୀନତା ସଂଗ୍ରାମୀ ଓ ଲେଖକ ଥିଲେ । ସେ ପ୍ରସିଦ୍ଧ ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳର ରଚୟିତା ।

ଜୀବନୀ[ସମ୍ପାଦନା]

ପିତା କେଶବ ଚନ୍ଦ୍ର କାନୁନଗୋ ଓ ମାତା ପୀର ଦେବୀଙ୍କ ସନ୍ତାନ ବିନୋଦ ପ୍ରଥମେ ଗାଆଁ ଅବଧାନଙ୍କ ନିକଟରେ ପାଠ ପଢ଼ିବା ପରେ ମାମୁଁଙ୍କ ଗାଆଁ ପାଟକୁରା (କେନ୍ଦ୍ରାପଡ଼ା)କୁ ଚାଲିଯାଇଥିଲେ । ଓଡ଼ିଆ ଓ ସଂସ୍କୃତ ସାହିତ୍ୟର ପଣ୍ଡିତ ଓ ଗବେଷକ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ବିନୋଦ ହେଉଛନ୍ତି ଏକମାତ୍ର ଭଣଜା । ୧୯୨୨ରେ ସେ କଟକ ଆସି ରେଭେନ୍ସା ଇଷ୍ଟ ହଷ୍ଟେଲରେ ମାମୁଁଙ୍କ ପାଖରେ ରହିଲେ । ୧୯୨୭ରେ ସେ ରାଣୀହାଟ ମାଇନର ସ୍କୁଲରୁ ବୃତ୍ତି ପାଇ ପ୍ରସିଦ୍ଧ ରେଭେନ୍ସା କଲେଜିଏଟ ସ୍କୁଲରେ ପାଇ ପଢ଼ା ଆରମ୍ଭ କଲେ ।

ବିନୋଦକାନୁନଗୋଙ୍କ ଜୀବନୀ... ଏକ ଦୃଷ୍ଟିପାତ[୧][ସମ୍ପାଦନା]

  • ୧୯୧୨ : ଜନ୍ମ, ଜୁନ ୬ ତାରିଖ - ଗ୍ରାମ-ମଲୀପୁର, ଥାନା/ପୋ-କିଶନନଗର, ଜିଲ୍ଲା-କଟକ ।
  • ୧୯୧୭ : ମଲୀପୁରରୁ ମାମୁ ଘର ଗ୍ରାମ ପାଟକୁରା ଥାନା (କେନ୍ଦ୍ରାପଡ଼ା ଜିଲ୍ଲା)ର ନାଗଣପୁରକୁ ଗଲେ । ଓଡ଼ିଆ ଓ ସଂସ୍କୃତ ସାହିତ୍ୟର ମହାନ ପଣ୍ଡିତ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଏକମାତ୍ର ଭଣଜା |
  • ୧୯୨୨ : ପ୍ରଥମ କଟକ ଦେଖା ।
  • ୧୯୨୩-୨୪ :ରେଭେନସା କଲେଜ (ବର୍ତ୍ତମାନ ବିଶ୍ଵବିଦ୍ୟାଳୟ)ର ପ୍ରସିଦ୍ଧ ପ୍ରଫେସରମାନଙ୍କ ସହ ସଂପର୍କ । ଇଷ୍ଟ ହଷ୍ଟେଲରେ ମାମୁଙ୍କ ପାଖରେ ରହଣି ।
  • ୧୯୨୬ : ରାଣୀହାଟ ମାଇନର ସ୍କୁଲର ପ୍ରଥମ ଛାତ୍ର ଭାବରେ ନାମ ଲେଖା ।
  • ୧୯୨୭: ବୃତ୍ତି ସହିତ ମାଇନର ପାସ । ଗୋପବନ୍ଧୁ ଦାସଗୋପବନ୍ଧୁ ଚୌଧୁରୀଙ୍କୁ ପ୍ରଥମେ ଦେଖିଲେ ।
  • ୧୯୨୮: ରେଭେନସା କଲେଜିଏଟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖା ।
  • ୧୯୩୦: ଲବଣ ସତ୍ୟାଗ୍ରହରେ ଯୋଗଦାନ । କଲେଜିଏଟ ସ୍କୁଲରୁ ନାମ କଟିଲା । ପ୍ରଥମ ଜେଲ ବରଣ - ନଭେମ୍ବର ୧୬ ତାରିଖ ।
  • ୧୯୩୧ : ପାଟଣା କ୍ୟାମ୍ପ ଜେଲରୁ ଗାନ୍ଧୀ-ଇରଉଇନ ଚୁକ୍ତି ଫଳରେ ଖଲାସ । ସେବାଦଳ କ୍ୟାମ୍ପ (କଟକ ଓ ପୁରୀ) ରେ ଯୋଗଦାନ ।
  • ୧୯୩୨ : ପୁଣି ଜେଲବରଣ ।
  • ୧୯୩୩: ବ୍ୟକ୍ତିଗତ ସତ୍ୟାଗ୍ରହରେ ଯୋଗଦାନ
  • ୧୯୩୪ : ଚମ୍ପାପୁର ଗାନ୍ଧୀ ଆଶ୍ରମରେ (ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଦ୍ଵାରା ସ୍ଥାପିତ) ଲୁଗାବୁଣା ଶିଖା ଓ ଖଦୀକାମ ଆରମ୍ଭ । ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ଯୋଗଦାନ ଓ "ସମାଜର ବିଶେଷ ସମ୍ବାଦଦାତା ଭାବରେ କାର୍ଯ୍ୟ । ଅନୁଗୁଳ ଠାରୁ ପୁରୀ ଓ ପୁରୀରୁ ଭଦ୍ରଖ ପର୍ଯ୍ୟନ୍ତ ବାପୁଜୀଙ୍କ ପାଖେ ପାଖେ ରହି "ସମାଜକୁ ବିସ୍ତୃତ ବିବରଣୀ ପଠାଇବା । ବାପୁଜୀ ସେତିକିବେଳେ ବିନୋଦଙ୍କୁ ଅତି ନିକଟରୁ ଦେଖିଥିଲେ । ଗାନ୍ଧୀଜୀଙ୍କ ନିର୍ଦେଶରେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ସହିତ ବରୀ ଆଶ୍ରମରେ ରହି (ବର୍ତ୍ତମାନ ଯାଜପୁର ଜିଲା) ନାନାପ୍ର କାର ସଙ୍ଗ ଠନ କାର୍ଯ୍ୟ କରିବା ।
  • ୧୯୪୨: ମାର୍ଚ୍ଚ ମାସରେ "ସମାଜ' ଛାଡ଼ିଦେଇ ଶେଷ ସ୍ଵାଧୀନତା ସଂଗ୍ରାମର ପ୍ରସ୍ତୁତିରେ ଅଂଶଗ୍ରହଣ । ଅଗଷ୍ଟ ୨୯ ତାରିଖରେ ଗିରଫ ଓ ଅଟକବନ୍ଦୀ ଭାବରେ ପ୍ରଥମେ କଟକ ଓ ଅଳ୍ପଦିନ ପରେ ବ୍ରହ୍ମପୁର ଜେଲରେ ଅଟକ । ପତ୍ନୀ ଶଶିବାଳା ମଧ୍ୟ କଟକ ଜେଲରେ ବନ୍ଦୀ । ଅକ୍ଟୋବରରୁ ଓଡ଼ିଆ ଭାଷାରେ ୫୦୦ ପୁସ୍ତକ ଲେଖିବା ପାଇଁ ଯୋଜନା ଓ ଜେଲ ଭିତରେ ଉପା ଦାନ ସଂଗ୍ରହ (କାଗଜ ନ ମିଳିବାରୁ ବଜେଟ ପେପରରେ ଅତି ଛୋଟଛୋଟ ଅକ୍ଷରରେ ଲେଖିଲେ)
  • ୧୯୪୪: ଅଗଷ୍ଟରେ ଜେଲଖାନାରୁ ମୁକ୍ତି ।
  • ୧୯୪୫:ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ଆହୂତ "ସମଗ୍ରଗ୍ରାମ ସେବାସଂଘ'ରେ ଯୋଗଦାନ ଓ ଗାନ୍ଧୀଜୀ ଙ୍କ ଦ୍ଵାରା ବ୍ୟକ୍ତିଗତ ଭାବରେ ବଛାଯାଇ "ସମଗ୍ର ଗ୍ରାମସେବକ' ଭାବରେ ଦାୟିତ୍ଵ ଗ୍ରହଣ ।
  • ୧୯୪୬:ନିଜ ଗ୍ରାମ ମଲୀପୁରରେ ନିଖିଳ ଉତ୍କଳ ହରିଜନ ସେବକ ସମ୍ମିଳନୀର ଆୟୋଜନ । ଭାରତ ଓ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ । ମଲୀପୁରରେ ସ୍ଥାପିତ "ଖଦୀ ଘର'କୁ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟର କେନ୍ଦ୍ରବିନ୍ଦୁ ଭାବରେ ଗଢ଼ି ତୋଳିଲେ ।
  • ୧୯୪୭: ହରିଜନ ଆନ୍ଦୋଳନ - ବ୍ୟାପକତର ହେଲା ।
  • ୧୯୪୮ : ଭାଗଚାଷୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କଲେ ।
  • ୧୯୪୯ : କୃଷକ ଆନ୍ଦୋଳନରେ ଯୋଗଦାନ ଓ ସାଧାରଣ ଲୋକଙ୍କ ପାଇଁ ଲଢ଼ି ବହୁ ମକୋଦ୍ଦମା ରେ ଜଡ଼ିତ ।
  • ୧୯୫୧ : ପ୍ରଥମ ବିଜ୍ଞାନ ବହି "ପବନ' ପ୍ରକାଶିତ । "ସମଗ୍ର ଗ୍ରାମସେବା କାର୍ଯ୍ୟ' ଅବ୍ୟାହତ ।
  • ୧୯୫୨ : ପ୍ରଥମ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ।
  • ୧୯୫୨-୫୩: 'କୃଷକ ' ପତ୍ରିକାର ସଂପାଦକତ୍ଵ ଗ୍ରହଣ-ନିର୍ବାଚନ ମକୋଦ୍ଦମା ।
  • ୧୯୫୪ : ଜାନୁୟାରୀ ପହିଲା ଦିନ ମାତ୍ର ଗୋଟିଏ ଟଙ୍କ। ଧରି ଗାଁରୁ କଟକ ଚାଲିଆସିଲେ ଓ ସେହି ଦିନ ହିଁ ଜ୍ଞାନମଣ୍ଡଳ ପ୍ରଣୟନ ଲାଗି ଦୀର୍ଘ ତପସ୍ୟା ଓ ସାଧନାର ଅୟମାରମ୍ଭ ହେଲା । : "ଶିଶୁ ସଂପଦ' ଶିଶୁ ପତ୍ରିକା ଆରମ୍ଭ । ଚଳନ୍ତା ରାଇଜର ଅମୁହାଁ ନଈ ପୁସ୍ତକ ପ୍ରକାଶ ।
  • ୧୯୫୫ : ଉତ୍କଳ ଦର୍ପଣ, ଶିଶୁ ସାହିତ୍ୟର ବିକାଶ ପାଇଁ ସମବାୟ ସଂସ୍ଥା ଗଠନ । ଓଡ଼ିଆ ଭାଷାରେ ବିଜ୍ଞାନର ଯେ କୌଣସି ଜଟିଳ ତତ୍ତ୍ଵକୁ ଯେ ସରଳ ଓ ସାବଲୀଳ ଢଙ୍ଗରେ ପ୍ରକାଶ କରାଯାଇପାରେ - ଏ' ଦିଗରେ ସଫ ଳତା ହାସଲ ।
  • ୧୯୫୬-୫୯ : ବଞ୍ଚିବତ ଟିକିଏ ହସ, ନୂଆ ପଇସା କାହିଁକି, ନୂଆମାପ ଓଜନ, ନୀରୋଗଦେହ , ଲୋକଶିକ୍ଷା, ମାଛ ଚାଷ, ଅଜବ ଦୁନିଆ ବିଚିତ୍ର ମାଛ ଭଳି ପୁସ୍ତକ ପ୍ରକାଶ ।
  • ୧୯୬୦ : ଡିସେମ୍ବର ୨ ତାରିଖ ଦିନ ଜ୍ଞାନମଣ୍ଡଳର ପ୍ରଥମ ଭାଗ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ଵାରା ଜାତି ଉଦ୍ଦେଶ୍ୟରେ ଅର୍ପିତ । ଓଡ଼ିଶା ଓ ଓଡ଼ିଶା ବାହାରେ ଏଭଳି ଉଦ୍ୟମର ପ୍ରଶଂସା ।
  • ୧୯୬୨-୬୮ : ଜ୍ଞାନମଣ୍ଡଳର ଆଠ ଖଣ୍ଡ ପ୍ରକାଶିତ ।
  • ୧୯୬୮-୮୮: ଜ୍ଞାନମଣ୍ଡଳର ଅବଶିଷ୍ଟ ଖଣ୍ଡ ପ୍ରକାଶିତ ।
  • ୧୯୭୨-୭୩ : ସ୍ଵାଧୀନତା ସଂଗ୍ରାମର ଇତିହାସ "ମୁଠାଏ ଲୁଣ ଗୋଟାଏ ସାମ୍ରାଜ୍ୟ' ପ୍ରସ୍ତୁତି ପାଇଁ ସାରା ଓଡ଼ିଶା ଗସ୍ତ କରି ମୁକ୍ତି ସଂଗ୍ରାମୀଙ୍କ ବିବରଣୀ ଓ ଫଟୋ ସଂଗ୍ରହ ।
  • ୧୯୭୫ : ଜୟ ପ୍ରକାଶ ନାରାୟଣଙ୍କ ଜୀବନୀ ପ୍ରକାଶ ।
  • ୧୯୭୭ : ଉତ୍କଳମଣିଙ୍କ ଜନ୍ମ ଶତବାର୍ଷିକୀରେ ତାଙ୍କ ର ଜୀବନୀ ପ୍ରକାଶ ।
  • ୧୯୮୦: "ଛାତିକି ପଥର କରି" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ।
  • ୧୯୮୨-୮୩ : ପିଲାଙ୍କ ପାଇଁ ଲିଖିତ ବିଜ୍ଞାନ ପୁସ୍ତକର ଦୁରଦର୍ଶନରେ ପ୍ରଚାର । ମାନ୍ଦ୍ରାଜରେ ଅନୁଷ୍ଠିତ ଜାତୀୟ ବିଶ୍ଵକୋଷ ସମ୍ମିଳନୀରେ ଯୋଗଦାନ ଓ ଏ ଦିଗରେ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଏମ. ଜି. ରାମଚନ୍ଦ୍ରନଙ୍କ ଦ୍ଵାରା ସମ୍ବର୍ଦ୍ଧିତ । ଆତ୍ମଜୀବନୀ ମୂଳକ ପୁସ୍ତକ "ଋଣ ପରିଶୋଧ' ପ୍ରକାଶ ପାଇଲା ।
  • ୧୯୮୪ : ବିଶ୍ଵକୋଷ ପ୍ରଣୟନର ପଦ୍ଧତି ସଂପର୍କରେ ଜାଣିବା ପାଇଁ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ରଚିତ ବିଶ୍ଵକୋଷ ସଂପାଦକମାନଙ୍କ ର ଜ୍ଞାନମଣ୍ଡଳ କାର୍ଯ୍ୟାଳୟକୁ ଆଗମନ । : ଭାରତ ସରକାରଙ୍କ ଫିଲ୍ମ ଡିଭିଜନ ଦ୍ଵାରା "ବିନୋଦ କାନୁନଗୋ' ବୃତ୍ତ ଚିତ୍ର ଓଡ଼ିଆ, ଇଂରାଜୀ ଓ ୧୪ଟି ଭାରତୀୟ ଭାଷାରେ ପ୍ରସ୍ତୁତ । "ଋଣ ପରିଶୋଧ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ।
  • ୧୯୮୬: ଭାରତ ସରକାରଙ୍କ ଦ୍ଵାରା "ପଦ୍ମଶ୍ରୀ' ଉପାଧିରେ ସମ୍ମାନିତ ।
  • ୧୯୮୭ : ଲୋକଶିକ୍ଷାର ପ୍ରସାର ପାଇଁ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ଯୋଗଦାନ । ଭୁବନେଶ୍ଵରଠାର ଜାତୀୟ ବିଶ୍ଵକୋଷ କେନ୍ଦ୍ର (ନେସନାଲ ଏନସାଇକ୍ଲୋପିଡ଼ିଆ ସେଣ୍ଟର)ର ଉଦଘାଟନ ଉତ୍ସବ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଦ୍ଵାରା ସଂପନ୍ନ ।
  • ୧୯୮୮ : ପିଲାଙ୍କ ବିଶ୍ଵକୋଷ "ଶିଶୁଜ୍ଞାନମଣ୍ଡଳ'ରସଂପାଦନ । : ଭୁବନେଶ୍ଵରରେ ପ୍ରଥମ ଜାତୀୟ ବିଶ୍ଵକୋଷ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ।
  • ୧୯୯୦: ଜୁନ ୨୨ ତାରିଖ ଦିନ ମହାପ୍ରୟାଣ ।

ସ୍ଵାଧୀନତାରେ ଯୋଗଦାନ[ସମ୍ପାଦନା]

୧୯୩୦ ଏପ୍ରିଲ ୧୦ ତାରିଖରେ ଗାନ୍ଧୀଜୀଙ୍କ ଡାକରା ନବମରୁ ଦଶମ ଶ୍ରେଣୀକୁ ଯିବା ଆଗରୁ ପାଠ ଛାଡ଼ିଦେଇ ସେ ଲବଣ ସତ୍ୟାଗ୍ରହରେ ଯୋଗଦେଲେ ଓ ନଭେମ୍ବର ୧୫ରେ ଜେଲ ବରଣ କରିଥିଲେ । ୧୯୩୧ରେ ପାଟଣା କ୍ୟାମ୍ପ ଜେଲରୁ ଖଲାସ ହେବା ପରେ ପୁଣି ୧୯୩୨ରେ କାରାରୁଦ୍ଧ ହେଲେ । ୧୯୩୩ରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ମଧ୍ୟ ସେ ଯୋଗ ଦେଇଥିଲେ । ୧୯୩୪ରେ ସେ ଗାନ୍ଧିଜୀଙ୍କ ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ପଦଯାତ୍ରାରେ ଭାଗନେଇ "ସମାଜ"ର ବିଶେଷ ସମ୍ବାଦଦାତା ଭାବରେ ବିସ୍ତୃତ ବିବରଣୀ ପଠାଉଥିଲେ ।

ସାହିତ୍ୟ ସୃଷ୍ଟି[ସମ୍ପାଦନା]

ବିନୋଦ କାନୁନଗୋ ନିଜର କର୍ମମୟ ଜୀବନ ଭିତରେ ୧୧୦ ଗୋଟି ବହି ଲେଖିଯାଇଛନ୍ତି ।

  1. ଜ୍ଞାନମଣ୍ଡଳ: ୧୬୫୪ ଜାନୁଆରି ୧ରେ ଆରମ୍ଭ ହୋଇ ୧୯୬୦ ଡିସେମ୍ବର ୨ରେ ପ୍ରଥମ ଖଣ୍ଡଟି ଶେଷ ହେଲା । ୧୯୬୧ରୁ ୧୯୮୮ ଭିତରେ ଜ୍ଞାନମଣ୍ଡଳର ସମୁଦାୟ ୪୦ଟି ଖଣ୍ଡ ଲେଖା ହୋଇଥିଲା ।[୨]
  2. ଶିଶୁ ଜ୍ଞାନମଣ୍ଡଳ - ପ୍ରଥମ, ଦ୍ଵିତୀୟ (୨ ଖଣ୍ଡ)(୧୯୮୮)(ପ୍ରଥମ ଓଡ଼ିଆ ଶିଶୁ ବିଶ୍ଵକୋଷ)[୧]
  3. ସପ୍ତାସ୍ତ୍ର (ପ୍ରକାଶିତ ପ୍ରଥମ ବହି)
  4. ପବନ (ବିଜ୍ଞାନର ପ୍ରଥମ ବହି, ୧୯୫୧)
  5. ଚଳନ୍ତା ରାଇଜର ଅମୁହାଁ ନଈ (ରକ୍ତ ସଞ୍ଚାଳନ)
  6. ନୀରୋଗ ଦେହ (ସ୍ଵାସ୍ଥ୍ୟ ବିଜ୍ଞାନ)
  7. ମାଛଚାଷ
  8. ମାପ ଓଜନ (ମୌଳିକ ଭୌତିକୀ)
  9. ତିନି ଖଣ୍ଡି କାଉଁରୀ ହାଡ଼ (ଇଲେକଟ୍ରନ, ପେ୍ରାଟନ, ନିଉଟ୍ରନ)
  10. ଜୀବନ ତିଆରି କାରଖାନା (ପରିପାକ ତନ୍ତ୍ର)
  11. ଡାକିଲେ ଜବାବ ଦିଅନ୍ତା କି ! (ଜୀବକୋଷ ବିଜ୍ଞାନ)
  12. ମା' ଭଳି ମଶେିନଟିଏ (ଯକୃତ)
  13. ନିକିତି ତଉଲ ସାନ ବଡ଼କୁ (ସାମାଜିକ ବିଜ୍ଞାନ)
  14. ଚକ ବୁଲୁଥାଏ ଚକ ବୁଲୁଥାଏ (ଜଳଚକ୍ର)
  15. ଅଳ୍ପକେ କଳି ତୁଟିଗଲା (ଆଲୋକ ସଂଶେ୍ଳଷଣ)
  16. ଏଣିକି ତୁ ଦୁନିଆ ଜିତିବୁ ! (ଜୈବିକ ବିବର୍ତ୍ତନ)
  17. ମିଠେଇ ଦେହରେ ଲାଗିଲା ଡେଣା (ମଧୁପର୍କ)
  18. ଛାତିକି ପଥର କରି (ପ୍ରସ୍ତର ଯୁଗ) (୧୯୮୭)
  19. ଦୁଇଶହ ଗାଡ଼ିକୁ ଛ'ଶହ ଇଞ୍ଜି ନ (ମାଂସପେଶୀ ଓ ଅସ୍ଥି ବିଭାଗ)
  20. ମା' ବୋଲ ସିଏ ମାନିଲା ନାହିଁ (ମହାକାଶ ଯାତ୍ରା)
  21. ମୋ ଭଳି ସିନା ମୁଁ (ବିଭିନ୍ନ ବୃହତ ପ୍ରାଣୀ ସଂପର୍କିତ)
  22. ପେଟେ ଖାଇଲେ ବି ଉପାସ (କାହାଣୀ ଛଳରେ ପୁଷ୍ଟିବିଜ୍ଞାନ ଚର୍ଚ୍ଚା)
  23. ଟଙ୍କ।ଟା କେବେ ଟଙ୍କ।ଏ ନୁହେଁ (ଅର୍ଥନୀତି ବିଜ୍ଞାନ)
  24. ସେ ଚୁଲି କେବେ ଲିଭିବି ନାହିଁ (ସୂର୍ଯ୍ୟ ଓ ସୌରଶକ୍ତି)
  25. ସବୁତକ ଚାବି ଧରାଇ ଦେଲି (ମସ୍ତିସ୍କ)
  26. ଗୋଟିକ କେମିତି କୋଟିଏ ହେଲା (କୃଷି ବିଜ୍ଞାନ)
  27. ମୋ ବର୍ଣ୍ଣବୋଧରେ ୫୦୦ ଅକ୍ଷର (୫୦୦ପ୍ରକାର ଜ୍ଞାନରଅବଧାରଣା)
  28. ଏଣିକି ମୁଁ ମଣିଷ ଗଢ଼ିବି (ପ୍ରକୃତି ଓ ବିବର୍ତ୍ତନ)
  29. ଟିକିଏକେ ଶିରୀ ତୁଟିଗଲା (ପୁଷ୍ଟିବିଜ୍ଞାନ)
  30. ଗୋପାଳନ
  31. ବାଡ଼ି ବଗିଚାର ଔଷଧ ଗଛ
  32. ସ୍ଵାସ୍ଥ୍ୟ ଦୁର୍ଗର ବତିଶ ପ୍ରହରୀ (ଦାନ୍ତ ସଂପର୍କରେ)[୧]
  33. ନୂଆ ମାପ ଓ ଓଜନ
  34. ମହୁଚାଷ
  35. ନୂଆ ପଇସା କାହିଁକି
  36. ଗାଂଧୀ କଥା
  37. ବାପୁଜୀଙ୍କ ଉତ୍କଳରେ ପଦଯାତ୍ରା
  38. ମହାତ୍ମା ଗାନ୍ଧୀ
  39. ସର୍ଦ୍ଦାର ପଟେଲ
  40. ଶହୀଦ ନିରଞ୍ଜନ
  41. ଆଚାର୍ଯ୍ୟ ହରିହର
  42. ଜୟପ୍ରକାଶ
  43. ଉତ୍କଳମଣି ଗୋପବନ୍ଧୁ
  44. ଜାତୀୟକବି ବୀରକିଶୋର
  45. ରମାଦେବୀ
  46. କସ୍ତୁରବା
  47. ପିଲାଙ୍କ ଜୟପ୍ରକାଶ
  48. ପିଲାଙ୍କ ଗୋପବନ୍ଧୁ
  49. ପିଲାଙ୍କ ଜବାହରଲାଲ
  50. ଲୋକଶିକ୍ଷା
  51. ଉତ୍କଳ ଦର୍ପଣ
  52. ଜାପାନରେ କୃଷି ଓ କୁଟୀର ଶିଳ୍ପ (ମର୍ମାନୁବାଦ)
  53. ଗଣତନ୍ତ୍ରର ଆଦର୍ଶ ସୁଇଜରଲ୍ୟାଣ୍ଡ (ମର୍ମାନୁବାଦ)
  54. ମଣିଷ କ'ଣ ଅଛୁଆଁ ?
  55. ଅଜବ ଦୁନିଆ
  56. ବଞ୍ଚିବା ତ ଟିକିଏ ହସ
  57. ନାଁ ଦେବାଟା କେତେ କଷ୍ଟ ! (ବ୍ୟାକରଣ)
  58. ଋଣ ପରିଶୋଧ (ଆତ୍ମ ଚରିତ,୧୯୮୪))
  59. ପାଠ ପଛେ ପଛେ ଅପାଠୁଆ (ଆତ୍ମ ଚରିତ)
  60. ଦରିଆ ଦଖଲ
  61. ବାନ୍ଧ ତୁମ ପୁଡ଼ା ପୁଟୁଳା
  62. ସୂତା ଖିଅକରେ ସ୍ଵରାଜ୍ୟ ଝୁଲୁଛି
  63. କାହା ମୁଣ୍ଡରେ ସୁନା କଳସ
  64. ମନ୍ତ୍ର ଫୁଙ୍କି ବାକୁ ଭୁଲିଗଲା
  65. ଘରେ ଘରେ ସୁନାଖଣି
  66. ବଡ଼ଙ୍କ ବଡେ଼ଇ ରହିଲା ନାହିଁ
  67. ମୁଠାଏ ଲୁଣ ଗୋଟିଏ ସାମ୍ରାଜ୍ୟ
  68. ଆମେ ଭୋଟ ଦେବା କାହିଁକି
  69. ସୂତା କଟା
  70. ଶିଶୁ ସମ୍ପଦ (ସମ୍ପାଦକ ଭାବରେ)

ଜ୍ଞାନପିପାସୁ ବିନୋଦ କାନୁନଗୋ[ସମ୍ପାଦନା]

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୯୧୮ ସାଲରେ "ସତ୍ୟବାଦୀ"ରେ ଅଭିମାନ ଓ କ୍ଷୋଭର ସହ ଲେଖିଥିଲେ, ଓଡ଼ିଶାରେ ଧନ ସଙ୍ଗେ ବିଦ୍ୟାର ଯୋଗ ନାହିଁ। ପୁଣି ଧନୀ ଓ ଜ୍ଞାନୀମାନଙ୍କ ର ସହଯୋଗିତା ନାହିଁ ... ନିକଟ ଭବିଷ୍ୟତରେ ଇନସାଇକ୍ଲୋପିଡ଼ିଆ ଭଳିଆ ଗୋଟିଏ କାର୍ଯ୍ୟ ସ୍ଵପ୍ନରେ ମଧ୍ୟ ଓଡ଼ିଆ ଭାଷାରେ ଆଶା କରାଯାଇପାରେ କି ? ଏହି ଆହ୍ଵାନ ଗ୍ରହଣ କରିଥିଲେ ବିନୋଦ କାନୁନଗୋ, ଯେତେବେଳେ ସେ ବକ୍ତବ୍ୟ ଦେଲେ, ମୁଁ ନିଜେ ଜଣେ ଡ୍ରପ ଆଉଟ ବା ଦଶମ ଶ୍ରେଣୀ ଆରମ୍ଭରୁ ପାଠ ଛାଡ଼ିବା ଲୋକ । ଯେଉଁଦିନ ସ୍କୁଲ ଛାଡ଼ି ଗାନ୍ଧୀ ଆନ୍ଦୋଳନରେ ଯୋଗ ଦେଲି ସେଦିନ ହିଁ ଶପଥ ନେଇଥିଲି ଯେ, ସ୍କୁଲ ଛାଡ଼ିବି ସିନା, ପାଠ ଛାଡ଼ିବି ନାହିଁ । ଗୋଟିଏ ଜାତି ପାଇଁ ସେ ଯେଉଁ ଅପୂର୍ବ କର୍ମ ସଂପାଦନ କରିଛନ୍ତି ଏବଂ ଓଡ଼ିଶାକୁ ଜ୍ଞାନ-ଯୁଗ ଆଡ଼କୁ ଅଗ୍ରସର କରାଇଛନ୍ତି, ତାର ପଟାନ୍ତର ନାହିଁ ।

ତେବେ ଏଥିପାଇଁ ଦରକାର ଜଣକ ନିକଟରେ ନିଜ ଅନ୍ତରରେ ଅହରହ ପ୍ରଜ୍ଵଳିତ ହେଉଥିବା ଉତ୍ସାହ, ନିଷ୍ଠାପରତା ଏବଂ ଲକ୍ଷ୍ୟ ହାସଲ ପାଇଁ ପ୍ରତିଶ୍ରୁତି ବଦ୍ଧତା । ଏହାର ପ୍ରମାଣ ରହିଛି ଉକ୍ତ ପ୍ରଣେତାଙ୍କ ଏଇ ବାକ୍ୟମାନଙ୍କରେ, ମୁଁ ମନୁଷ୍ୟ । ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ମୋର ଗୋଟିଏ ଉନ୍ନତ ମସ୍ତିଷ୍କ ଅଛି । ତେଣୁ ଜଗତର ଯେ କୌଣସି କଥା ଜାଣିବା ପାଇଁ ଆଗ୍ରହ ହେବ । ମୁଁ ସହଜରେ ଜାଣିବି-ଜାଣିବାର ସୁଯୋଗ ପାଇବି । ମୁଁ ମନୁଷ୍ୟ ହୋଇଥିବାରୁ ଜ୍ଞାନ ହାସଲ କରିବାଟା ମୋର ଜନ୍ମଗତ ଅଧିକାର । ସେହି ଅଧିକାରରୁ କେହି ମୋତେ ବଞ୍ଚିତ କରିପାରିବେ ନାହିଁ । ଗୋଟିଏ ଅଭିଧାନରୁ ଗୋଟିଏ ଭାଷାର ପ୍ରତ୍ୟେକ ଶବ୍ଦର ଅର୍ଥ ମିଳିଗଲା ଭଳି ଗୋଟିଏ ପୁସ୍ତକରୁ ମାନବ ଜ୍ଞାନର ପ୍ରତ୍ୟେକ ବିଭାଗର ସଂକ୍ଷିପ୍ତ ପରିଚୟ ମିଳୁଥିବା ପୁସ୍ତକଟିର ଆବଶ୍ୟକତା ଅନୁଭବ କରାଗଲା ... ଆମେ ଓଡ଼ିଆ । ଆମର ଗୋଟିଏ ଉନ୍ନତ ଭାଷା ଅଛି । ଦୁନିଆର ଚାରିଆଡେ଼ ଏହି ଭଳି ପୁସ୍ତକ ପ୍ରକାଶ ପାଉଥିଲା ବେଳେ ଆମେ କଣ ସେଭଳି କରି ପାରିବା ନାହିଁ ? ଏହି ପ୍ରଶ୍ନ ଯେତେବେଳେ ମୋ ମନ ଭିତରେ ଉଠିଛି, ମୁଁ ବ୍ୟଥିତ ହୋଇ ପଡ଼ିଛି... ନିଶ୍ଚୟ ପ୍ରକାଶ ପାଇବା ଉଚିତ ବୋଲି ବିଚାରି ୧୯୫୪ରେ ଗୋଟିଏ ଯୋଜନା କଲି ଓ ଆଜିର ଏହି ପ୍ରଥମ ଖଣ୍ଡିକ ସେଇ ଯୋଜନାର ଫ ଳ । (ମୁଖବନ୍ଧ - ନିଜ କଥା - ଜ୍ଞାନ ମଣ୍ଡଳ-୧ମ ଭାଗ-୨୦.୧୧.୧୯୬୦) ।

ତେବେ ବିନୋଦ କାନୁନଗୋ ମାତ୍ର ଟଙ୍କ।ଟିଏ ଖର୍ଚ୍ଚ ମୂଳଧନ କରି ପ୍ରଣୟନ କଲେ ଓଡ଼ିଆ ଜ୍ଞାନକୋଷ - ଜ୍ଞାନମଣ୍ଡଳ। (ସମାଜ - ୨୧ .୦୪ .୨ ୦୧ ୨) ତେଣୁ ଧନୀର ବିନା ସହଯୋଗରେ ଜଣେ ଅଧାପାଠୁଆ ଜ୍ଞାନୀ ଏଇ ବିରାଟ ଯୋଜନାର ମୂଳଦୁଆ ପ୍ରାରମ୍ଭ କଲାପରେ ଏହା ବିନୋଦ କାନୁନଗୋଙ୍କୁ ଜଣେ ଜ୍ଞାନ-ତପସ୍ଵୀ, ଜ୍ଞାନ ମଣ୍ଡଳର ଏକକ ରଚୟିତା, ଗବେଷକ ଓ ଚଳମାନ ବିଶ୍ଵକୋଷ ଭାବେ ପରିଚୟ ପ୍ରଦାନ କଲା। ଏଥିପାଇଁ ସେ କମ ଅଧ୍ୟବସାୟ କରିନାହାନ୍ତି । କନିକା ପାଠାଗାରରେ ଘଣ୍ଟା ଘଣ୍ଟା ରହି ବିଭିନ୍ନ ପୁସ୍ତକ ଅଧ୍ୟୟନ ଓ ପତ୍ର ପତ୍ରିକାରୁ ଅସଂଖ୍ୟ କଟିଂ ରଖିବା ପରେ ୪୦ ରୁ ୫୦ ହଜାର ଯାଏ ଫ।ଇଲ ସୃଷ୍ଟି କଲେ । ୬୦ ଖଣ୍ଡରେ ପ୍ରକାଶ ପାଇବାକୁ ଥି ଲା ଏଇ ତଥ୍ୟାବଳୀ । ୨୨.୬.୧୯୯୦ରେ ତାଙ୍କ ମୃତ୍ୟୁବେଳକୁ ଏହାର ୪୦ ଖଣ୍ଡ ଉନ୍ମୋଚିତ ହୋଇଥିଲା, ଯାହାର ପ୍ରଥମ ଖଣ୍ଡ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକଟର ହରେକୃଷ୍ଣ ମହାତାବ ୨.୧୨.୧୯୬୦ରେ ଉନ୍ମୋଚନ କରିଥିଲେ ।

କଥିତ ଅଛି ଯେ ତ୍ରୟୋଦଶ ଶତାବ୍ଦୀରେ ମଧ୍ୟଯୁଗର ପ୍ରଖ୍ୟାତ ଇଂରେଜ ବୈଜ୍ଞାନିକ ରୋଜର ବେକନ ବିଶ୍ଵର ସର୍ବ ପ୍ରଥମ ଜ୍ଞାନକୋଷ ରଚନା କରିଥିଲେ । କିନ୍ତୁ ତାହା ଲୋକଲୋଚନକୁ ଆସିବା ଆଗରୁ କୁଆଡେ଼ ଅନ୍ତର୍ହିତ ହୋଇଗଲା । ଏହାର ପ୍ରାୟ ପାଞ୍ଚ ଶହ ବର୍ଷ ପରେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାର ଆବିର୍ଭାବ ହେଲା । ତେଣୁ ଜ୍ଞାନକୋଷ ପ୍ରଣୟନ କରିବା କେତେ ଦୁଃସାଧ୍ୟ -ଏଥିରୁ ଅନୁମୟେ । ଏହି ମର୍ମରେ ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ବୈଜ୍ଞାନିକ ଜ୍ଞାନକୋଷ (୨୦୦୫)ର ପ୍ରକାଶକ ବିଦ୍ୟାପୁରୀ (କଟକ) ଯାହା ଜଣାଇଛନ୍ତି, ତା'ର ଗୁରୁତ୍ଵ ରହିଛି, ଜ୍ଞାନ କୋଷ ସଂକଳନ ଏକ କଷ୍ଟସାଧ୍ୟ ଓ ଦୀର୍ଘକାଳୀନ ପ୍ରତିଷ୍ଠାର ପ୍ରତିଫଳ । ଏକ ଦୁରୂହ, ବ୍ୟୟବହୁଳ ଓ ଜ୍ଞାନବର୍ଦ୍ଧକ ଜ୍ଞାନକୋଷର ପ୍ରଚଳନ ଗୋଟିଏ ଜାତି ପାଇଁ ଅବଶ୍ୟ ଏକ ଅମୂଲ୍ୟ ସଂପଦ ।

ବିନୋଦ କାନୁନଗୋ ଏନସାଇକ୍ଲୋପିଡ଼ିଆକୁ ତିନି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଯଥା :

  1. ବିଶେଷଜ୍ଞଙ୍କ ପାଇଁ ରିଫେରେନସ ଏନସାଇକ୍ଲୋପିଡ଼ିଆ
  2. କିଶୋର କିଶୋରୀଙ୍କ ପାଇଁ ଚିତ୍ରବହୁଳ ଓ ସରଳ ଭାଷାରେ ଲିଖିତ ଚିଲ୍ଡରେନ୍ସ ଏନସାଇକ୍ଲୋପିଡ଼ିଆ
  3. ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜନପ୍ରିୟ, ସୁଖପାଠ୍ୟ, ସହଜବୋଧ୍ୟ ପପୁଲାର ଏନସାକ୍ଲୋପିଡ଼ିଆ ।

ସେ ତାଙ୍କ ଜ୍ଞାନମଣ୍ଡଳକୁ "ପପୁଲାର ଏନସାଇକ୍ଲୋପିଡ଼ିଆ" (ସୁଖପାଠ୍ୟ ଓଡ଼ିଆ ଏନସାଇକ୍ଲୋପିଡ଼ିଆ) ଶ୍ରେଣୀଭୁକ୍ତ କରିଛନ୍ତି । କିନ୍ତୁ ସେଥିରେ ଯେତେ ସଂଖ୍ୟକ ଚିତ୍ର ରହିଛି ଏବଂ ବିଷୟବସ୍ତୁର ବର୍ଣ୍ଣନା ଯେମିତି ହୋଇଛି, ତାହା ଅଳ୍ପ ପାଠ ପଢ଼ିଥିବା ଆଗ୍ରହୀ ପିଲାମାନେ ମଧ୍ୟ ସହଜରେ ଧରିପାରିବେ । ତେଣୁ ଉପରୋକ୍ତ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଏହା ଏକ ସ୍ଵାଗତଯୋଗ୍ୟ ସମାହାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

ଉଲ୍ଲେଖନୀୟ ଯେ ବିନୋଦ କାନୁନଗୋ (୧୯୧୨-୯୦) ଜଣେ ଶିଶୁ ସାହିତ୍ୟିକ । ପ୍ରସ୍ତରଯୁଗୀୟ ମାନବ ସମ୍ବନ୍ଧରେ ରଚିତ "ପିଲାମାନଙ୍କ ପାଇଁ ୩୬୫ ଦିନ "ସିରିଜ ସକାଶେ ୧୯୮୦ ଙ୍କ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ତାଙ୍କୁ ପ୍ରଦତ୍ତ କରାଯାଇଥିଲା । ୧୯୮୪ଙ୍କ ର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ତାଙ୍କର ଆତ୍ମଚରିତ "ଋଣ ପରିଶୋଧ", "ଆଉରି ବରକୋଳି ନିଅ" ଅଧ୍ୟାୟରେ ସେ ନିଜର ପିଲାଦିନର ସ୍ମୃତିକୁ ଯେମିତି ଉପସ୍ଥାପନ କରିଛନ୍ତି, ତାହା ଯେ କୌଣସି ବୟସର ପାଠକକୁ ମୁଗ୍ଧ କରିବ । ସେଥିରେ ବର୍ଣ୍ଣିତ ହୋଇଛି ଶତପଥୀ ନାମକ ଜଣେ ପଣ୍ଡିତଙ୍କ ବିଷୟ, ଯିଏକି ଜମିଦାର ବିହାରୀଲାଲଙ୍କ ଘରକୁ ପ୍ରତିଦିନ ଯାଆନ୍ତି ଗୀତାର ଅନୁବାଦ ସହ ଟୀକା ରଚନା କରିବାକୁ । ପଣ୍ଡିତ ଶତପଥୀ ରାତିରେ ଘରକୁ ଫେରିବା ବେଳେ ଗୋଟିଏ ଥାଳିରେ ବିହାରୀଲାଲଙ୍କ ଠାରୁ ସିଦା ନେଉଥିଲେ, ଯେଉଁଥିରେ ପର୍ଯ୍ୟାପ୍ତ ଚାଉଳ, ଡାଲି, ପରିବାଦି ଥାଏ । ଥରେ ସେଇ ସଞ୍ଚାରେ ବିହାରୀଲାଲ ଚାରୋଟି ଗୋଲ ଆଳୁ ଦେଇଥିଲେ । ଏହାର ବର୍ଣ୍ଣନା କାନୁନଗୋଙ୍କ ଭାଷାରେ, "ପଣ୍ଡିତ ଶତପଥୀ" ସେଠାରେ କିଛି କହି ନ ପାରି ଗାମୁଚ୍ଛାରେ ପୂରାଇ ନେଇଗଲେ । ଘରେ ଯାଇ ସେତକ ସବୁ ବାରିଆଡେ଼ ଫେ।ପାଡ଼ି ଦେଇ ଘରେ ଆସି ଗାଧୋଇଲେ । ପଇତା ବଦଳାଇଲେ ... ତା' ପରଦିନ ଜମିଦାର ତାଙ୍କୁ ପଚାରିଲେ, "କାଲି ଯେଉଁ ନୂଆ ଚିଜ ଦେଇଥିଲି ତାକୁ କେମିତି ରନ୍ଧିଲ ?" ଶତପଥୀ ଟିକିଏ ଶଙ୍କି ଯାଇ କହିଲେ, "ଜୀବନରେ ମୁଁ କେବେ ପକ୍ଷ୍ୟଣ୍ଡ (ପକ୍ଷୀର ଅଣ୍ଡା) ଛୁଇଁ ନାହିଁ । ତେଣୁ ତାକୁ ଫେ।ପାଡ଼ି ଦେଲି । ସିଦା ମାରା ହୋଇ ଯାଇଥିଲା ବୋଲି ତାକୁ ମଧ୍ୟ ଫେ।ପାଡ଼ି ଦେଲି ।" ବିହାରୀ ହସିଲେ - "ଆଳୁକୁ ଯେ ଅଣ୍ଡା ବୋଲି ଧରିନେଲେ - ସେଥିପାଇଁ ହସ ।"

ଏଇ ଘଟଣାଟିର ଛାପ ଜ୍ଞାନମଣ୍ଡଳର ପ୍ରଥମ ଭାଗରେ ୮୬ ପୃଷ୍ଠାରେ ପଡ଼ିଲା ପରି ମନେହୁଏ, ଯେତେବେଳେ "ଅଣ୍ଡା" ବିଷୟରେ କାନୁନଗୋ ଲେଖିଛନ୍ତି, କେଉଁଟି ସବୁଠୁ ବଳି "ଆଶ୍ଚର୍ଯ୍ୟ ଖାଦ୍ୟ"ବୋଲି ଯଦି ପଚରାଯାଏ, ତେବେ ଗୋଟିଏ ମାତ୍ର ଉତ୍ତର ମିଳିବ; ସେ ଉତ୍ତରଟି ହେଲା "ଅଣ୍ଡା"। ଏହା ହେଉଛି ଗୋଟିଏ କଠିନ ବିଷୟବସ୍ତୁର ସରସ ଆରମ୍ଭ ।

ସମ୍ମାନ[ସମ୍ପାଦନା]

ବିନୋଦ ସ୍ମୃତି ... ଆଲୋକ ଚିତ୍ରରେ[ସମ୍ପାଦନା]

ଆହୁରି ପଢ଼ିବେ[ସମ୍ପାଦନା]

  1. Binod Kanungo, Sahitya Akademi Publications , 1999 ISBN 978-81-260-0754-7
  2. ପଦ୍ମଶ୍ରୀ ବିନୋଦ କାନୁନଗୋ ଜନ୍ମ ଶତବାର୍ଷିକୀ ବିଶେଷାଙ୍କ "ବିଜ୍ଞାନ ଦିଗନ୍ତ"

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

  • I & PR govt of Odisha, OGP-MP-PTS-U4 (I & P.R.) 13-500-3-6-2011