ଲୁହ ଦେଇଗଲେ ହସର ସୌଦାଗର

ଲୁହ ଦେଇଗଲେ ହସର ସୌଦାଗର

Copy Editor | Published On: Nov 07, 2017 05:02 AM IST | Updated On: Nov 07, 2017 05:03 AM IST |   646

ଭୁବନେଶ୍ୱର : ବିଗତ ଦିନର ଓଡ଼ିଆ ଚଳଚ୍ଚିତ୍ରର ସେଇ ଲୋକପ୍ରିୟ ଗୀତ ‘ଉଡ଼ି ଉଡ଼ି ଯାଏରେ ଗୁଡ଼ି’, ‘ସାବି ସାବି ତୁ ତ ମୋର ଲାଲପାନ ବିବି’, ‘ପରଦେଶୀ ବନ୍ଧୁ ତୁମେ’ ଆଜି ବି ଚିତ୍ରପ୍ରେମୀଙ୍କ ହୃଦୟରେ ସାଇତା ହୋଇ ରହିଛି । ଏସବୁ ଗୀତରେ ଅଭିନୟ କରି ଯିଏ ଓଡ଼ିଆ ଚଳଚ୍ଚିତ୍ରରେ ହସର ସୌଦାଗର ପାଲଟି ଯାଇଥିଲେ ସେ ଆଉ ଆମ ଗହଣରେ ନାହାନ୍ତି । ସବୁରି ଆଖିରେ ଲୁହ ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ସେଇ ଲୋକପ୍ରିୟ ହାସ୍ୟାଭିନେତା ସାଗର କୁମାର ଦାସ ସୋମବାର ଅପରାହ୍ଣରେ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କୁ ୭୭ ବର୍ଷ ହୋଇଥିଲା । ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ । ଘରେ ଶଯ୍ୟାଶାୟୀ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ମୃତ୍ୟୁ ଖବର ପାଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା, ପ୍ରଯୋଜକ, ନିର୍ଦେଶକ ସ୍ୱର୍ଗତ ଦାସଙ୍କ ସହିଦନଗରସ୍ଥିତ ବାସଭବନରେ ପହଞ୍ଚିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଜ୍ଞାନଦା, ଦୁଇ ପୁତ୍ର, ପୁତ୍ରବଧୂ, କନ୍ୟା, ନାତିନାତୁଣୀ ଉପସ୍ଥିତ ଥିଲେ । ୧୯୪୦ ମସିହାରେ ଜନ୍ମିତ ସାଗରଙ୍କ ପିତା ପ୍ରଭାତ ଚନ୍ଦ୍ର ଦାସ । ସେ ଭାରତ ସରକାରଙ୍କ ଗୀତ ଓ ନାଟକ ପ୍ରଭାଗରେ ଜଣେ କଳାକାରଭାବେ କାର୍ଯ୍ୟରତ ଥିଲେ । ୨୦୦୦ ମସିହାରେ ସେ ଚାକିରିରୁ ଅବସରଗ୍ରହଣ କରିଥିଲେ । ସେ ‘କିଏ କାହାର’, ‘ଅଦିନ ମେଘ’, ‘ଭାଇ ଭାଉଜ’, ‘ପଞ୍ଚୁ ପାଣ୍ଡବ’, ‘ଅଭିନେତ୍ରୀ’ ପ୍ରଭୃତି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘ପଞ୍ଚୁ ପାଣ୍ଡବ ।’ ତାଙ୍କର ସମସାମୟିକ ଚଳଚ୍ଚିତ୍ର ଅଭିନେତା ଓ କଣ୍ଠଶିଳ୍ପୀଙ୍କ ମଧ୍ୟରେ ଥିଲେ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ପ୍ରଶାନ୍ତ ନନ୍ଦ, ନରି ସାମଲ, ଦିନେଶ ରାଉତ, ଝରଣା ଦାସ, ସାମୁଏଲ ସାହୁ ପ୍ରମୁଖ । ସ୍ୱର୍ଗତ ଦାସଙ୍କ ପୁତ୍ର ତଥା ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ସବୁଜ ଦାସଙ୍କର ଗତ କିଛି ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା । ଉଲ୍ଲେଖନୀୟ ଅଭିନୟ ପ୍ରତିଭା ପାଇଁ ସେ ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏସନ, କଟକ ପୌର ପରିଷଦ ପକ୍ଷରୁ କଳାକାର ସମ୍ମାନ ପ୍ରଭୃତିରେ ସମ୍ମାନିତ ହୋଇଥିଲେ । ଅବସର ପରେ ସେ ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାର ସାଙ୍ଗକୁ ସମାଜସେବାରେ ନିଜକୁ ସାମିଲ କରିଥିଲେ । ଏହି ଲୋକପ୍ରିୟ ହାସ୍ୟାଭିନେତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ରରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତପ୍ରକାଶ ପାଇଛି । ତାଙ୍କ ବିୟୋଗରେ ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ ପକ୍ଷରୁ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲୀପ ହାଲି, ହାସ୍ୟାଭିନେତା ହରିହର ମହାପାତ୍ର, ମନନ ନାଟ୍ୟସଂସ୍ଥାର ସଭାପତି ମନୋଜ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି । ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
Tags:

Like Us

Breaking News

ପୁରୀ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୧୮ରେ ଆରମ୍ଭ ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ ମୁଖପାତ୍ର ଡ. ସୁରେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ : ଆସନ୍ତା ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ରାଜ୍ୟରେ ଚାଷୀ ଆତ୍ମହତ୍ୟା ଏବଂ ଚକଡା ପୋକ ଜନିତ ଫସଲ ନଷ୍ଟର ସମୀକ୍ଷା କରିବେ । ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଗୀତିକାର ଓ ସଙ୍ଗୀତ ନିର୍ଦେଶକ ବିନୋଦ ନନ୍ଦଙ୍କ ପରଲୋକ ଭୟାନକ ସ୍ଥିତିରେ ଦିଲ୍ଲୀର ଧୂଆଁ ପରିସ୍ଥିତି:  ପୁଣି ଆରମ୍ଭ ହେବ ଯୁଗ୍ମ-ଅଯୁଗ୍ମ ନିୟମ